Loading
ପ୍ରାରମ୍ଭରୁ ଶ୍ରୀ ଶତପଥୀ ସାହିତ୍ୟ ସମାଲୋଚନା ଓ ସମ୍ପାଦନାରେ ମନୋନିବେଶ କରିଥିଲେ। ‘ଭଞ୍ଜସାହିତ୍ୟ’ ଓ ‘ମୟୂରଭଞ୍ଜ କ୍ରୋନିକିଲ୍’ର ସମ୍ପାଦନା ସମୟରେ ସେ ଏହିଧରଣର ଲେଖା ଲେଖୁଥିଲେ। ‘ଭଞ୍ଜପ୍ରଦୀପ’ ସେସମୟରେ ଓଡ଼ିଶାର ଅଗ୍ରଗଣ୍ୟ ସାହିତ୍ୟ ପତ୍ରିକାରୂପେ ପରିଚିତ ଥିଲା, ଯେଉଁଥିରେ କାଳିନ୍ଦୀଚରଣ ପାଣିଗ୍ରାହୀ, ମାୟାଧର ମାନସିଂହ, ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖଙ୍କ ଲେଖା ପ୍ରକାଶିତ ହେଉଥିଲା। ଫକୀରମୋହନ ସେନାପତିଙ୍କ ଉପରେ ଏକ ଦୀର୍ଘ ସମାଲୋଚନା ସେ ୧୯୪୦-୪୨ ମଧ୍ୟରେ ଲେଖିଥିଲେ ଯାହା ‘ଭଞ୍ଜପ୍ରଦୀପ’ (ସଂ ୧୫ ଓ ୧୬)ରେ ପ୍ରକାଶିତ। ମୟୂରଭଞ୍ଜର ତତ୍କାଳୀନ ମହାରାଜାଙ୍କ ଜନ୍ମଦିନ ଉପଲକ୍ଷେ ସେ ଏକ ଏକାଙ୍କିକା ଲେଖି ଅଭିନୟ କରାଇଥିଲେ - ତା’ର ନାମଥିଲା ‘ଗଜଡ଼ଧବ’। ସେ ନିଜେ ମଧ୍ୟ ଏକ ଚରିତ୍ରରେ ଅଭିନୟ କରିଥିଲେ। ୧୯୬୬ ମସିହାରେ ଶତପଥୀଙ୍କର ପ୍ରଥମ ଗଳ୍ପ ସଂକଳନ ‘ଏଣ୍ଟିରୋମାଣ୍ଟିକ୍’ ପ୍ରକାଶିତ ହୁଏ। ଏହା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭକରେ। ତତ୍ପରେ ତାଙ୍କର ଆଉ ୯ଗୋଟି ଗଳ୍ପ ସଂକଳନ ପ୍ରକାଶ ପାଇଛି। ଝଙ୍କାର, ସମାବେଶ, ଆସନ୍ତାକାଲି, ପ୍ରତିବେଶୀ, ନବଲିପି ପ୍ରଭୃତି ପତ୍ରପତ୍ରିକାରେ ତାଙ୍କ ଗଳ୍ପଗୁଡ଼ିକ ପ୍ରକାଶିତ ହେଉଥିଲା। ନ୍ୟାସ୍ନାଲ୍ ବୁକ୍ ଟ୍ରଷ୍ଟ୍ ଦ୍ୱାରା ୨୦୦୯ ମସିହାରେ ପ୍ରମୁଖ ଭାରତୀୟ ସାହିତ୍ୟକୁ ନେଇ ଆଦାନ-ପ୍ରଦାନ ପୁସ୍ତକ ସିରିଜ୍ରେ “ବସନ୍ତ ଶତପଥୀଙ୍କ ଶ୍ରେଷ୍ଠ ଗଳ୍ପମାଳା” ପ୍ରକାଶିତ। ଠିକ୍ ସେହିପରି ଭାରତୀୟ ଜ୍ଞାନପୀଠ ଦ୍ୱାରା ମଧ୍ୟ ତାଙ୍କର ଗଳ୍ପ ସଂକଳନଗୁଡ଼ିକର ହିନ୍ଦୀ ଅନୁବାଦ ପ୍ରକାଶିତ ହୋଇଛି। ତାଙ୍କ ଗଳ୍ପ ବହି ଦେଶର ପ୍ରମୁଖ ଭାଷାରେ ଅନୂଦିତ, ଅଧୁନାତନ ଭାବରେ ଖ୍ୟାତନାମା ଅନୁବାଦକ ପ୍ରଫେସର୍ ବିକ୍ରମ କେଶରୀ ଦାସଙ୍କ ଦ୍ୱାରା ତାଙ୍କ ନିର୍ବାଚିତ ଗଳ୍ପ ସଂକଳନ (“ହ୍ୱେନ୍ ଦେୟାର୍ ଆଇଜ୍ ମେଟ୍”) ଇଂରାଜୀରେ ଅନୂଦିତ। ଶତପଥୀଙ୍କ ଅନେକ ଗଳ୍ପ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି। ତାଙ୍କ ଜନ୍ମ ଶତବାର୍ଷିକୀ ଉଭୟ କେନ୍ଦ୍ର ସାହିତ୍ୟ ଅକାଦେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ୨୦୧୩ରେ ଆୟୋଜିତ ହୋଇଛି। ଭାରତୀୟ ସାହିତ୍ୟ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମୀ ତରଫରୁ “ମେକର୍ସ୍ ଅଫ୍ ଇଣ୍ଡିଆନ୍ ଲିଟରେଚର୍” ସିରିଜ୍ରେ ଏକ ମନୋଗ୍ରାଫ୍ ପ୍ରକାଶିତ ହୋଇଛି।
ଶ୍ରୀଯୁକ୍ତ ଶତପଥୀ ମୁଖ୍ୟତଃ ଜଣେ ଆଗଧାଡ଼ିର ଗାଳ୍ପିକଭାବେ ଜଣାଶୁଣା ହୋଇଥିବା ବେଳେ ସାହିତ୍ୟର ଅନ୍ୟ ଦିଗରେ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ଇଂରାଜୀ ସାହିତ୍ୟର ଅଧ୍ୟାପକ ହୋଇଥିବା ଦୃଷ୍ଟିରୁ ସେ ଅନେକ ଇଂରାଜୀ ସୃଷ୍ଟିକୁ ଓଡ଼ିଆରେ ଅନୁବାଦ କରିଥିଲେ, ଯଥା ‘ଲେମ୍ବଙ୍କ ସେକ୍ସପିୟର୍ କାହାଣୀମାଳା’ (୧୯୭୭), ‘ଇଉଲିସେସ୍ଙ୍କ ଭ୍ରମଣ କାହାଣୀ’ (୧୯୭୦)। ‘ନବନାଟିକା’ (୧୯୬୦) ସଂକଳନରେ ସେ ଇଂରାଜୀ ସାହିତ୍ୟର ପ୍ରମୁଖ ଏକାଙ୍କିକାକୁ ଓଡ଼ିଆରେ ଅନୁବାଦ କରିଥିଲେ। ଏହା ସହ ‘ଅହମିୟା ସାହିତ୍ୟର ଇତିହାସ’କୁ ମଧ୍ୟ ସେ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ସାହିତ୍ୟ ଅକାଦେମୀ ଦ୍ୱାରା ପ୍ରକାଶିତ। ମାୟାଧର ମାନସିଂହଙ୍କ ପରାମର୍ଶକ୍ରମେ ସେ ଓଡ଼ିଆ ସାହିତ୍ୟର ପ୍ରମୁଖ କବିତାଗୁଡ଼ିକର ଏକ ସଂକଳନ ପ୍ରସ୍ତୁତ କରିଥିଲେ। ଏହି ସଂକଳନଟି ‘ସଞ୍ଚୟନ’ (୧୯୭୪) ଶୀର୍ଷକରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହୋଇଥିଲା। ଏହାକୁ ପ୍ରସ୍ତୁତ କରିବା ସମୟରେ ସେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ‘ପାଲ୍ଗ୍ରେଭ୍ସ୍ ଗୋଲ୍ଡେନ୍ ଟ୍ରେଜରୀ’ ମଡେଲ୍ରେ ପ୍ରସ୍ତୁତ କରିଥିଲେ।(୪୫୪) ସେ ମଧ୍ୟ ରବୀନ୍ଦ୍ରନାଥଙ୍କ ନାଟକ ‘ରାଜା’ର ଓଡ଼ିଆ ଅନୁବାଦ କରିଥିଲେ ଯାହା ସାହିତ୍ୟ ଅକାଦେମୀ ଦ୍ୱାରା ପ୍ରକାଶିତ (୧୯୭୯) (‘ପଞ୍ଚନାଟକ’ ସଂକଳନରେ ସଂକଳିତ)। ସେ ଫକୀରମୋହନଙ୍କ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ର ନାଟ୍ୟରୂପ ‘ଚମ୍ପା’ (୧୯୭୦) ରଚନା କରିଥିଲେ। ଫକୀରମୋହନ ସେନାପତିଙ୍କ ସମ୍ପର୍କରେ ଗୋଟିଏ ନିବନ୍ଧ ସହ ଛଅଗୋଟି ଗଳ୍ପର ଇଂରାଜୀ ଅନୁବାଦକୁ ନେଇ ‘ଫକୀରମୋହନ: ହିଜ୍ ଲାଇଫ୍ ଏଣ୍ଡ୍ ଲିଟେରେଚର୍’୧୯୮୪ରେ ପ୍ରକାଶିତ ହୋଇଥିଲା। ଏହା ବ୍ୟତୀତ ତାଙ୍କର ଅନେକ ଅପ୍ରକାଶିତ ଲେଖା ରହିଛି, ଯଥା ‘ବାସନ୍ତୀ ରମ୍ୟ ରଚନାମାଳା’ ଶୀର୍ଷକ ସିରିଜ୍ରେ ଚାରୋଟି ନିବନ୍ଧ ସଂକଳନ, ଇଂରାଜୀରେ ରଚିତ କେତେକ ସମାଲୋଚନା ନିବନ୍ଧ ଇତ୍ୟାଦି। ‘ମନେପଡ଼େ’ (୨୦୦୮) ହେଉଛି ଲେଖକଙ୍କ ଆତ୍ମଜୀବନୀ ପୁସ୍ତକ।
୧୯୬୦-୭୦ ଦଶକରେ ତାଙ୍କ ଲେଖା କେନ୍ଦ୍ର ସାହିତ୍ୟ ଅକାଦେମୀ ପ୍ରକାଶିତ ଜର୍ଣ୍ଣାଲ୍ ‘ଇଣ୍ଡିଆନ୍ ଲିଟେରେଚର୍’ରେ ପ୍ରକାଶିତ ହେଉଥିଲା। ସେଗୁଡ଼ିକ ମଧ୍ୟରେ “ନୀଳଶୈଳ”, “ୱାନ୍ ଅର୍ ଟୁ ଆଉଟ୍ଷ୍ଟାଣ୍ଡିଙ୍ଗ୍ ବୁକ୍ସ୍”, “ନେଦର୍ ବ୍ୟାଙ୍ଗ୍ ନର୍ ହ୍ୱିମ୍ପର୍”, “ମଚ୍ ପେପର୍ ମୋର୍ ପଭର୍ଟି” ଇତ୍ୟାଦି ପ୍ରମୁଖ। ଇଂରାଜୀ ସାହିତ୍ୟର ପ୍ରସିଦ୍ଧ ସାର୍ ରୋଜର୍ ଡି କଭର୍ଲି ଅନୁସରଣରେ ସେ “ସାର୍ ରୋଜର୍ ଏଣ୍ଡ୍ ଟେଷ୍ଟ୍ କ୍ରିକେଟ୍” (୧୯୬୦)ରେ ରଚନା କରିଥିଲେ। ସେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଥିଲେ ସୁଦ୍ଧା ଓଡ଼ିଆ ସୃଜନଶୀଳ ସାହିତ୍ୟକୁ ତାଙ୍କ ଅବଦାନ ବେଶ୍ ଉଲ୍ଲେଖନୀୟ। ତାଙ୍କର ମଧ୍ୟ ସଂସ୍କୃତ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ ଥିଲା। ତାଙ୍କର ଅଧିକାଂଶ ଲେଖାରେ ଉଭୟ ପାଶ୍ଚାତ୍ୟ ଲେଖକ ଏବଂ ସଂସ୍କୃତ ଶ୍ଳୋକର ଉଦ୍ଧୃତି ତଥା ବ୍ୟାଖ୍ୟା ଦେଖିବାକୁ ମିଳେ। ତାଙ୍କ ରଚନାଶୈଳୀ ଡିକେନ୍ସ, ଲେମ୍ବ, ସେକ୍ସପିୟର୍, କାଳିଦାସ, ଭବଭୂତି ତଥା ସର୍ବୋପରି ଫକୀରମୋହନଙ୍କ ଦ୍ୱାରା ପ୍ରଭାବିତ ବୋଲି ସେ ଏକ ସାକ୍ଷାତକାରରେ ପ୍ରକାଶକରିଥିଲେ। ବସନ୍ତ ଶତପଥୀଙ୍କ ଗଳ୍ପ ଅନେକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗାଳ୍ପିକଙ୍କ ଲେଖାସହ ତୁଳନୀୟ ହେବାର ସାମର୍ଥ୍ୟ ବହନ କରେ। କିନ୍ତୁ ସେଭଳି ଆଲୋଚନା ଖୁବ୍ କମ୍। ସୁରେନ୍ଦ୍ର ମହାନ୍ତି ଏକଦା ଲେଖିଥିଲେ, “(ବସନ୍ତ ଶତପଥୀଙ୍କ ହାସ୍ୟରସରେ) ମୁଁ ପାଇଥାଏ ଜେରୋମ୍ କେ ଜେରୋମ୍ ଏବଂ ପି ଜି ଉଡ୍ହାଉସ୍ଙ୍କ ହାସ୍ୟରସର ସ୍ପର୍ଶ”(‘ଚିରବସନ୍ତ’, ପୃ ୧୩୮)। ଅନ୍ୟପକ୍ଷରେ ଉତ୍ତରଉପନିବେଶୀୟ ଭାରତୀୟ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଶତପଥୀଙ୍କ ଶୈଳୀ ଓ ଲେଖା ବେଶ୍ ଗୁରୁତ୍ୱ ବହନ କରେ। ବସନ୍ତ ଶତପଥୀ ଥିଲେ ଇଂରାଜୀ ଅଧ୍ୟାପକ, ଅଥଚ ଓଡ଼ିଆ ତଥା ସଂସ୍କୃତ ଭାଷାରେ ତାଙ୍କ ପାଣ୍ଡିତ୍ୟ ଥିଲା ଦୃଷ୍ଟାନ୍ତମୂଳକ। ସମାଲୋଚକ ଯତୀନ୍ଦ୍ର କୁମାର ନାୟକଙ୍କର ଏହି ପ୍ରସଙ୍ଗରେ ମନ୍ତବ୍ୟ ହେଲା: “ସ୍ୱାଧୀନୋତ୍ତର ଭାରତରେ ଇଂରାଜୀ ସାହିତ୍ୟ ଅଧ୍ୟୟନ ଓ ଅଧ୍ୟାପନାର ସ୍ୱରୂପ ଓ ଚରିତ୍ର କ’ଣ ହୋଇପାରିବ ସେ ବିଷୟରେ ଅଭିଜ୍ଞ ଅଧ୍ୟାପକ ବସନ୍ତ କୁମାର ଶତପଥୀ ଗଭୀର ଭାବରେ ଚିନ୍ତା କରୁଥିଲେ ଓ ନିଜର ସ୍ୱତନ୍ତ୍ର ବିଚାରକୁ କାର୍ଯ୍ୟରେ ପରିଣତ କରିବାକୁ ଚେଷ୍ଟା କରୁଥିଲେ।” ପ୍ରଫେସର୍ ହିମାଂଶୁ ମହାପାତ୍ରଙ୍କ ମତରେ, “ଉତ୍ତରଉପନିବେଶବାଦର ପରିସରକୁ ଉପାନ୍ତଯାଏଁ ମୁଖ୍ୟ ସ୍ରୋତରେ ସମ୍ପ୍ରସାରିତ କରିବାପାଇଁ ତାଙ୍କର ଗଳ୍ପ ଏକ ବଳିଷ୍ଠ ଆହ୍ୱାନ” (‘ବସନ୍ତର ନିଚ୍ଛକ ଜିଲ୍ଲାରେ..’., ପୃ ୫୮) । ପ୍ରଫେସର୍ ସୁମନ୍ୟୁ ଶତପଥୀଙ୍କ ଦୀର୍ଘ ପ୍ରବନ୍ଧ “ବସନ୍ତ ଶତପଥୀଙ୍କ ଗଳ୍ପରେ ଅନୁଚ୍ଚାରିତ ଦ୍ୱନ୍ଦ ଭାବ”ରେ ସେ ଗାଳ୍ପିକଙ୍କ ଗଳ୍ପର ଅନେକ ଅନାଲୋଚିତ ଦିଗ ଯଥା ଜନରିକ୍ ଇମ୍ପ୍ୟୁରିଟି ବା ‘ଶ୍ରେଣୀଗତ ଅଶୁଦ୍ଧତା’ ଆଦିକୁ ଆଲୋଚନା କରିଛନ୍ତି।
ତାଙ୍କର ସାହିତ୍ୟକୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ (୧୯୬୮), ଝଙ୍କାର ପୁରସ୍କାର (୧୯୭୯), ଶାରଳା ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଇତ୍ୟାଦିରେ ସମ୍ମାନିତ। ତାଙ୍କ ସ୍ମୃତିରେ ପ୍ରତିବର୍ଷ ତାଙ୍କ ଜନ୍ମଜୟନ୍ତୀରେ ‘ବସନ୍ତ ଶତପଥୀ ସ୍ମାରକୀ ବକ୍ତୃତାମାଳା’ ଆୟୋଜିତ ହୋଇଆସୁଛି, ଯେଉଁଥିରେ ଦେଶର ବିଭିନ୍ନ ବୁଦ୍ଧିଜୀବୀ, ସାହିତ୍ୟିକ ଓ ପ୍ରମୁଖ ବ୍ୟକ୍ତିତ୍ୱ ସ୍ମାରକୀ ବକ୍ତୃତା ପ୍ରଦାନ କରିଛନ୍ତି। ଏହି ଅନୁକ୍ରମରେ ଭାରତୀୟ ସମାଲୋଚକ ହରିଶ୍ ତ୍ରିବେଦୀ, ମାଳଶ୍ରୀ ଲାଲ୍, ମହମ୍ମଦ ଅସଦୁଦ୍ଦିନ୍, ମନୋଜ ଦାସ ପ୍ରମୁଖ ସ୍ମାରକୀ ବକ୍ତୃତା ପ୍ରଦାନ କରିଛନ୍ତି।