Loading
ବସନ୍ତ କୁମାର ଶତପଥୀ (୨୬ ଜୁନ୍ ୧୯୧୩ - ୨୦ ଫେବୃଆରୀ ୧୯୯୪) ଜଣେ ଓଡ଼ିଆ ଗାଳ୍ପିକ, ଅନୁବାଦକ ଏବଂ ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ ଥିଲେ । ସେ ୧୨ଟି ଗଳ୍ପ ସଂକଳନ ବ୍ୟତୀତ ଅନେକ ଅନୂଦିତ ପୁସ୍ତକ ତଥା ଏକ ଆତ୍ମଜୀବନୀ ପୁସ୍ତକର ସ୍ରଷ୍ଟା । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟକୁ ଯେଉଁ ଅଳ୍ପ କେତେଜଣ ସାହିତ୍ୟିକ ନୂଆ ରୂପରେଖ ପ୍ରଦାନ କରିଥିଲେ, ସେମାନଙ୍କ ମଧ୍ୟରେ ବସନ୍ତ ଶତପଥୀ ଅନ୍ୟତମ । ତାଙ୍କ ଗଳ୍ପଗୁଡ଼ିକ ବିଭିନ୍ନ ଝଙ୍କାର, ସମାବେଶ, ଆସନ୍ତାକାଲି ଇତ୍ୟାଦି ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଅନେକ ପାଠକୀୟ ଆଦୃତି ଲାଭକରିଥିଲା । ତାଙ୍କଲେଖାରେ ଶ୍ଳେଷ, ତଥା ଚାତୁର୍ଯ୍ୟପୂର୍ଣ୍ଣ ହାସ୍ୟରସ ସହ ଗମ୍ଭୀର ଦୃଷ୍ଟିକୋଣପାଇଁ ସେ ସ୍ୱାତନ୍ତ୍ର୍ୟ ଅର୍ଜ୍ଜନ କରିଛନ୍ତି । ଅନେକ ଆନୁଷ୍ଠାନିକ ସ୍ୱୀକୃତି ସହ ଶ୍ରୀ ଶତପଥୀ ବିପୁଳ ପାଠକୀୟତା ଅର୍ଜ୍ଜନ କରିଥିଲେ । ତାଙ୍କ ଗଳ୍ପ ବହି ଦେଶର ପ୍ରମୁଖ ଭାଷାରେ ଅନୂଦିତ, ଅଧୁନାତନ ଭାବରେ ପ୍ରଫେସର୍ ବିକ୍ରମ କେଶରୀ ଦାସଙ୍କ ଦ୍ୱାରା ତାଙ୍କ ନିର୍ବାଚିତ ଗଳ୍ପ ସଂକଳନ ଇଂରାଜୀରେ ଅନୂଦିତ । ତାଙ୍କ ଗଳ୍ପ ସଂକଳନ ସାହିତ୍ୟ ଅକାଦେମୀ, ନ୍ୟାସନାଲ୍ ବୁକ୍ଟ୍ରଷ୍ଟ୍ ଓ ଭାରତୀୟ ଜ୍ଞାନପୀଠ ଦ୍ୱାରା ପ୍ରକାଶିତ । ଶତପଥୀଙ୍କ ଅନେକ ଗଳ୍ପ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି । ତାଙ୍କ ଜନ୍ମ ଶତବାର୍ଷିକୀ ଉଭୟ କେନ୍ଦ୍ର ସାହିତ୍ୟ ଅକାଦେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ୨୦୧୩ରେ ଆୟୋଜିତ ହୋଇଛି । ସେ ନିଜର ସାହିତ୍ୟକୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ (୧୯୬୮), ବିଷୁବ ପୁରସ୍କାର (୧୯୭୯), ଶାରଳା ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଇତ୍ୟାଦିରେ ସମ୍ମାନିତ । ଭାରତୀୟ ସାହିତ୍ୟ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମୀ ତରଫରୁ ଏକ ମନୋଗ୍ରାଫ୍ ପ୍ରକାଶିତ ହୋଇଛି ।
ଶତପଥୀଙ୍କ ଜନ୍ମ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ପାନ୍ଧଡ଼ାଗ୍ରାମରେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ଭୋଳାନାଥ ଶାସ୍ତ୍ରୀ । ସେ ପାନ୍ଧଡ଼ା ଓ ଶୀର୍ଷାରୁ ପ୍ରାଥମିକ ଶିକ୍ଷାଲାଭ କରିଥିଲେ ଏବଂ ବାରିପଦା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇଥିଲେ । ମେଧାବୀ ଛାତ୍ରରୂପେ ମୟୂରଭଞ୍ଜ ମହାରାଜାଙ୍କଠାରୁ ବୃତ୍ତିପାଇ ରେଭେନ୍ସା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଏହି ସମୟରେ ସେ ମହାତ୍ମାଗାନ୍ଧୀଙ୍କi ହରିଜନ ପଦଯାତ୍ରା ସଂସ୍ପର୍ଶରେ ଆସିବା ସହ, ନେହେରୁଙ୍କ ରାଜନୀତିକ ସଭାରେ ମଧ୍ୟ ଯୋଗଦାନ କରିଥିଲେ । ବିନୋବା ଭାବେଙ୍କ ସହ ଓଡ଼ିଆ ଲିପିସଂସ୍କାର ସମ୍ବନ୍ଧରେ ମଧ୍ୟ ସେ ଆଲୋଚନାର ସୁଯୋଗ ପାଇଥିଲେ ।
ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ (୧୯୩୮)ପରେ ବାରିପଦା ହାଇସ୍କୁଲରେ ମାଷ୍ଟର ହେଲେ । ଏହାପରେ ସେ ମୟୂରଭଞ୍ଜ ମହାରାଜାଙ୍କ ନିକଟରେ ଜନସଂପର୍କ ଅଧିକାରୀ ରୂପେ କିଛିବର୍ଷ ଧରି କାର୍ଯ୍ୟ କରିଥିଲେ । ସେହି ସମୟରେ ସେଠାରେ ସେ ‘ଭଞ୍ଜପ୍ରଦୀପ’, ‘ପ୍ରଜାସଭା’, ‘ମୟୂରଭଞ୍ଜ ଗେଜେଟ୍’ ଏବଂ ‘ମୟୂରଭଞ୍ଜ କ୍ରୋନିକ୍ଲ୍’ର ଦାୟିତ୍ୱରେ ରହିଲେ । ମଝିରେ ମଝିରେ ଅନିୟମିତ ହୋଇପଡ଼ୁଥିବା ‘ଭଞ୍ଜପ୍ରଦୀପ’ ତାଙ୍କ ସମ୍ପାଦନା ସମୟରେ ଠିକ୍ ସମୟରେ ପ୍ରକାଶ ପାଇଲା । କାଳିନ୍ଦୀଚରଣ ପାଣିଗ୍ରାହୀ, ଗୋପାଳଚନ୍ଦ୍ର ପ୍ରହରାଜ, ଶଶିଭୂଷଣ ରାୟ, ଲକ୍ଷ୍ମୀକାନ୍ତ ମହାପାତ୍ର, ମାୟାଧର ମାନସିଂହ, ରାମକୃଷ୍ଣ ନନ୍ଦ ପ୍ରମୁଖଙ୍କ ଲେଖା ଏଥିରେ ପ୍ରକାଶିତ ହେଉଥିଲା ।
ଭାରତର ସ୍ୱାଧୀନତା ଲାଭ ହୁଅନ୍ତେ, ଓଡ଼ିଶାରେ ଗଡ଼ଜାତ ମିଶ୍ରଣ ପର୍ବ ଆରମ୍ଭ ହେଲା । ଏଭଳି ସ୍ଥିତିରେ ମୟୂରଭଞ୍ଜର ଭବିଷ୍ୟତ ସମ୍ପର୍କରେ ଆଲୋଚନା ପାଇଁ ମହାରାଜାଙ୍କ ପରାମର୍ଶକ୍ରମେ ଏକ ପ୍ରତିନିଧିଦଳ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କୁ ସାକ୍ଷାତ କରିବାପାଇଁ ଦିଲ୍ଲୀ ଯାତ୍ରାକରିବାର ସ୍ଥିର ହେଲା । ଏହି ପ୍ରତିନିଧିଦଳରେ ପବ୍ଲିସିଟି ଅଫିସର୍ ରୂପେ ବସନ୍ତ ଶତପଥୀଙ୍କୁ ଯିବାକୁ ପଡ଼ିଲା । ପ୍ରତିନିଧିଦଳର ସଦସ୍ୟ ରୂପେ ସେ ମୟୂରଭଞ୍ଜରୁ କଲିକତା ଯାତ୍ରାକରି ସେଠାରୁ ବିମାନଯୋଗେ ଯାଇ ଦିଲ୍ଲୀରେ ପହଞ୍ଚି ପ୍ରଥମେ ସେକ୍ରେଟାରୀ ଭିପି ମେନନ୍ଙ୍କୁ ସାକ୍ଷାତ କଲେ । ତତ୍ପରେ ପଟେଲ୍ଙ୍କ ସାକ୍ଷାତକରି ମୟୂରଭଞ୍ଜର ସମସ୍ୟା ସମ୍ପର୍କରେ ଅବଗତ କରାଇଲେ । ତେବେ, ମୟୂରଭଞ୍ଜର ସ୍ୱାତନ୍ତ୍ର୍ୟଲୋପ ହେଲା, ଏବଂ ଶତପଥୀ ପିଏ ଟୁ ଦ ଡାଇରେକ୍ଟର୍ ପବ୍ଲିକ୍ ରିଲେସନ୍ସ୍ ଭାବରେ କଟକସ୍ଥିତ ଓଡ଼ିଶା ସେକ୍ରେଟେରିଏଟ୍କୁ ବଦଳି ହୋଇଆସିଲେ ।
ସେସମୟର ଓଡ଼ିଶା ଏଡ୍ମିନ୍ଷ୍ଟ୍ରେଟିଭ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ନିଯୁକ୍ତି ପାଇଲେ । ଏହାପରେ ସେ ରାଜ୍ୟର ବିଭିନ୍ନ ପ୍ରମୁଖ ମହାବିଦ୍ୟାଳୟ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡି, ଫକୀରମୋହନ ମହାବିଦ୍ୟାଳୟ, ବାଲେଶ୍ୱର ଆଦିରେ ଅଧ୍ୟାପନା କରିଥିଲେ । ୧୫.୦୧.୧୯୭୦ରେ ସେ ଫକୀରମୋହନ ମହାବିଦ୍ୟାଳୟରୁ ଇଂରାଜୀ ବିଭାଗର ପ୍ରାଧ୍ୟାପକ ରୂପେ ଅବସର ଗ୍ରହଣ କରିଥିଲେ ।